କିଏ ସେ ଅନଘ ?
***************

Niladri Bihari Nayak
6 min readNov 9, 2021

ନଭେମ୍ବର ମାସର ଶୀତୁଆ ସକାଳ … ଗୁରୁଗ୍ରାମ, ହରିଆନା ରେ ଗତ ୮ ବର୍ଷର ରହଣି ଭିତରେ କାହିଁକି କେଜାଣି ଏ ବର୍ଷର ଶୀତର ପ୍ରକୋପ ଟିକିଏ ଅଧିକ | ତଥାପି ଡାକ୍ତର କର ନିଜ ଜିଦ୍ଦିରେ ଅଟଳ | କଥା ଦେଇଛନ୍ତି ଯେତେବେଳେ , ସେ ନିଶ୍ଚୟ ଯିବେ ଭିୱାଡ଼ି | ଗୁରୁଗ୍ରାମରୁ ପଚାଶ କିଲୋମିଟର ଦୂର ରାସ୍ତା — ଭିୱାଡ଼ି | ଏହା ରାଜସ୍ଥାନର ଅଲୱାର ଜିଲ୍ଲା ଅନ୍ତର୍ଭୁକ୍ତ |

ଶିଶୁ ଓ କିଶୋର ପ୍ରତିଭାର ବିକାଶ ପାଇଁ ଗୁରୁଗ୍ରାମ ଓ ଭିୱାଡ଼ି ର କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଥାନ୍ତି | ଜଣେ ସୁପ୍ରତିଷ୍ଠିତ ଶିଶୁ ଓ କିଶୋର ମନସ୍ତତ୍ତ୍ୱବିତ ଭାବରେ ଡାକ୍ତର ଅନଘ କରଙ୍କ ଖୁବ ଖ୍ୟାତି | ଭିୱାଡ଼ିରେ ନଭେମ୍ବର 14 ତାରିଖ ସକାଳ 8 ଟା ରେ ଶିଶୁ କିଶୋର ବୟସ ପିଲାଙ୍କୁ ନେଇ ସେ ଗୋଟିଏ କର୍ମଶାଳା ରେ ଯୋଗ ଦେବାର ଥିଲା | “ ଶିଶୁ-କିଶୋର ମନସ୍ତତ୍ତ୍ୱ ରେ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଭୂମିକା : ଏକ ଅନୁଶୀଳନ ”— ଏଥିଲା କର୍ମଶାଳା ର ବିଷୟବସ୍ତୁ |

ବୈଶେଷିକ ଅଗ୍ରୱାଲ , ଭିୱାଡ଼ି ର ଜଣେ ସ୍ଥାନୀୟ ବୁଦ୍ଧିଜୀବୀ — ଏହି କାର୍ଯ୍ୟକ୍ରମ ର ମୁଖ୍ୟ ପରିଚାଳକ | କର୍ମଶାଳା ସୁସମ୍ପାଦନ ନିମନ୍ତେ 12 ତାରିଖ ରାତିରୁ ଡାକରା ଆସିଥାଏ | କର ବାବୁ ବାହାରିଥାନ୍ତି ନିଜ ଗାଡ଼ିରେ |

ଆରାବଳୀର ବାଟେଘାଟେ… କିଛି ବସ୍ତି , ଅପନ୍ତରା ଓ ବଣବୁଦା | କାଉ କୋଇଲିର ଶବ୍ଦ ନାହିଁ | କାଁ ଭାଁ ଲୋକ ଦେଖାଯାଉଥାନ୍ତି | ଶୀତ କୁହୁଡିରେ ଧୂମାଭ ହୋଇ ଆସୁଛି ପରିବେଶ | ଏହି ସମୟରେ ତାଙ୍କ କାର ହାଇେଓ୍ଵରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରଟି 18 ମିଟର ଦୂର ଏକ ଗଛରେ ଯାଇ ଲଟିକି ଯାଇଥିଲା। ଯେଉଁ ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହେଲା ସେହି ସମୟରେ ସେଠାରେ କେହି ନଥିଲେ କି ଦୁର୍ଘଟଣା ବିଷୟରେ କେହି କିଛି ଜାଣି ପାରି ନଥିିଲେ। ଡାକ୍ତର କର ସଂଜ୍ଞାହୀନ !

ମଧ୍ୟରାତ୍ରି ଗଡିଗଲାଣି | ସମୟ ଦୁଇ କି ତିନି ହେବ | କର ବାବୁଙ୍କ ହୋସ ଫେରି ଆସିଛି | ଚଷମା ଟି ଭାଙ୍ଗି ଯାଇ ଥାଏ | ବିନା ଚଷମା ରେ ଡାକ୍ତର ବାବୁ କାର ବାହାରୁ
ଆସି ଦେଖନ୍ତି ଜନଶୂନ୍ୟ ଇଲାକା | ମୋବାଇଲର ଚାର୍ଜ ସରିଯାଇଥାଏ | ପାୱାର ବ୍ୟାଙ୍କ ଟି ଆଣିବାକୁ ଭୁଲି ଯାଇଥାନ୍ତି ସବୁ ଥର ପରି | ଶ୍ରୀ ଜଗନ୍ନାଥଙ୍କ କୃପା ରୁ ସେ ଅଧିକ କ୍ଷତ ବିକ୍ଷତ ହୋଇ ନ ଥାନ୍ତି , ଅଳ୍ପକେ ବଞ୍ଚି ଗଲେ | ଗାଡିର ଅବସ୍ଥା ଶୋଚନୀୟ |

ଧୈର୍ଯ୍ୟ ଓ ସାହାସ ବାନ୍ଧି ସେ ଆଗକୁ ବଢି ଚାଲିଲେ | ଦୂରରୁ ଦେଖା ଯାଉଥାଏ କିଛି ମାଲ ବାହୀ ଟ୍ରକ | ରାସ୍ତା ଘଟ ଖୁବ ଅନ୍ଧାର | କିନ୍ତୁ ଏ କଣ ! ହଠାତ ତାଙ୍କ ଆଖିରେ ପଡିଲା ଏକ ଅଦ୍ଭୁତ ଦୃଶ୍ୟ | ବଡ଼ ବଡ଼ ଚକ ଆଖି | ସତେ ଯେପରି ସେ ଆଖିରେ ଆଖିଏ କରୁଣାର ଝର | ପାଖରେ ଆହା କରିବାକୁ କେଇ ନଥାନ୍ତି |

“ମନା କରୁଥିଲି ଏତେ ରାତିରେ ଯାଆନା ବୋଲି, ମୋ କଥା କେବେ ଶୁଣିଲାନି “ ମନେ ମନେ ଭାବୁଥାନ୍ତି ଆସିଲାବେଳେ ଜେଜେ ମା ର ତାଗିଦ |

ଆଉ ଟିକେ ଆଗକୁ ଯାଇ ଦେଖନ୍ତି ସେଇ ଅଣ ଓସାରିଆ ରାସ୍ତାଟି ମୁଖ୍ୟ ରାସ୍ତାକୁ ଯୋଡି ହୋଇଛି | ହେଲେ ଏଠି ପ୍ରଭୁ ଜଗନ୍ନାଥଙ୍କୁ କିଏ କାହିଁକି ଜାଣିବେ ? ତାଙ୍କ ମନ୍ଦିର ଏଠି କାହିଁକି ଆସିବ ? ଝୁଣ୍ଟି ପଡନ୍ତି ରାସ୍ତାରେ ପୁଣି ଡ଼ାକ୍ତର କର | କିନ୍ତୁ ସେଇ ଜଗନ୍ନାଥଙ୍କ ଚିହ୍ନ ଥିବା ବୋର୍ଡ ଦେଖି ପାଖ ପାଖି ଦୁଇ କିଲୋମିଟର ଆଗକୁ ଚାଲି ଯାନ୍ତି ଡ଼ାକ୍ତର କର |

X X X

ଘଟଣା କ୍ରମରେ ଆଗକୁ ଯିବା ଆଗରୁ ଆସନ୍ତୁ ଜାଣିବା ଡାକ୍ତର ଅନଘ କରଙ୍କ ବିଷୟରେ | ଡାକ୍ତର ଅନଘ କର ..ଗତ ବର୍ଷେ ହେବ ମୋ ସହ ତାଙ୍କର ପରିଚୟ | 2019 ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଛତର ପୁର ଠାରେ “ ଅନ୍ତରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ “ ପାଳନ ଅବସର ରେ ଅନଘ ବାବୁଙ୍କ ସହ ଦେଖା ହୁଏ ମୋର | ଖୁବ ସରଳ ମଜାଳିଆ ପ୍ରକୃତିର ସେ | ତାଙ୍କ ଘର ଅନୁଗୁଳ ସହର ରେ | ନାଲ୍ କୋ ରୁ ଅବସର ନେବା ପରେ ତାଙ୍କ ବାପା ମା ଗୁରୁ ଗ୍ରାମ ରେ ରହନ୍ତି ଅନଘ ବାବୁଙ୍କ ସହ | ଦୁଇ ବର୍ଷର କୁନି ଝିଅ ଅନ୍ୱେଷା ଓ ସ୍ତ୍ରୀ ଆଭା ଙ୍କ ସହ ତାଙ୍କ ପରିବାର |

ଜଗନ୍ନାଥଙ୍କ ସବୁ ବେଶ ଗୋଟିଏ ଜାଗାରେ ଦେଖିବାର ସୁଯୋଗ କେମିତି ହାତ ଛଡା କରିବ କିଏ ? ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ବିଭିନ୍ନ ସାମାଜିକ ଗଣ ମାଧ୍ୟମ ରେ ସବୁ ଓଡ଼ିଆ- ଅଣ ଓଡ଼ିଆ ଙ୍କୁ ସଚେତନ କରି ଥାନ୍ତି ମାସେ ଆଗରୁ | ତା ସାଙ୍ଗକୁ ଓଡ଼ିଶାର ସ୍ଥାନୀୟ ଖାଦ୍ୟପେୟ , ନାଚ ଗୀତ , କଳାସଂସ୍କୃତିର ମହା ସଙ୍ଗମ |
ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ , ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

ଦୀର୍ଘ 32 ବର୍ଷ ହେଲା ରଥ ଯାତ୍ରାରେ କେବଳ ଟିଭି ରେ ଠାକୁର ରାଜାଙ୍କୁ ଛେରା ପହଁରା କରିବା ଦେଖି ଥିଲୁ | ଏଥର ପ୍ରତ୍ୟକ୍ଷ ଭାବେ ଠାକୁର ରାଜାଙ୍କୁ ଦେଖିବାର ସୁଯୋଗ ମିଳିଥିବାରୁ ଅନଘ ବାବୁ ଓ ମୁଁ ନିଜକୁ କୃତ କୃତ୍ୟ ମନେ କରୁଥିଲୁ | ଏଥିଲା ଅନଘ ବାବୁଙ୍କ ସଂକ୍ଷିପ୍ତ ପରିଚୟ |

X X X

ଏକ ବର୍ଷ ପରେ …ଆସନ୍ତୁ ଫେରି ଆସିବା ପୁଣି ସେଇ ଦୁର୍ଘଟଣା ସ୍ଥାନର ଠିକ ଦୁଇ କିଲୋ ମିଟର ଉତ୍ତର ଦିଗକୁ | ସେଇ ଜଗନ୍ନାଥଙ୍କ ଚକ ଆଖି ପରି ଦେଖାଯାଉଥିବା
ବୋର୍ଡ ର ସାହାଯ୍ୟ ନେଇ ଅନଘ ବାବୁ ପହଞ୍ଚି ଆସନ୍ତି ଏକ ଅନାମ ଧ୍ୟେୟ ଗାଁ ରେ |

“ବେଟା ! ତୁମ କାହଁସେ ହୋ ? “ ପଛରୁ ଜଣେ ବୃଦ୍ଧା ଙ୍କର ଶବ୍ଦ ଶୁଣି ପଛକୁ ଚାହାଁନ୍ତି ଡାକ୍ତର ବାବୁ | କଥାବାର୍ତ୍ତାରୁ ଜାଣି ପାରିଲେ ସେଇ ବୃଦ୍ଧା ଜଣକ ମାରୱାଡି ରାଜସ୍ଥାନୀ |
ଭୋର୍ ରୁ ଉଠି ପଡି ଥାନ୍ତି ସେ | ଡାକ୍ତର ବାବୁଙ୍କ କ୍ଷତ ବିକ୍ଷତ ଶରୀର ଦେଖି ଘରକୁ ପାଛୋଟି ନେଲେ ବୃଦ୍ଧା | ଘରେ ତାଙ୍କରି ଗୋଟିଏ ପୁଅ | ଚାଷବାସ କରି ସୁରୁଖୁରୁରେ ଦୁଇ ପ୍ରାଣୀ ଚଳି ଯାନ୍ତି | ଆଖ ପାଖରେ କେହି ସାଇ ପଡିଶା ବୋଲି ନାହାନ୍ତି | ଏ ଅଜଣା ଜାଗାରେ ବିଶ୍ରାମ ନେବାକୁ ଅନୁରୋଧ କଲେ ବୃଦ୍ଧା ଜଣକ | କ୍ଷତ ସ୍ଥାନରେ ମଲମ ଲଗାଇ ଦେଲେ ତାଙ୍କ ପୁଅ ପ୍ରଣବ ଚୌହାନ | ଏମିତି ଭାବେ ରାତି ଟି କଟିଗଲା ଅନଘ ବାବୁଙ୍କର |

ରାତି ପାହି ସକାଳ ହେଲା | 13 ନଭେମ୍ବର 2020 | ପଚାରି ବୁଝିଲେ ଆଖ ପାଖରେ କୌଣସି ଜଗନ୍ନାଥ ମନ୍ଦିର ନାହିଁ | ହେଲେ ସେ ସବୁ ଚକା ଆଖି ଚିହ୍ନ ଥିବା ବୋର୍ଡ !!! ସେ ସବୁ କଣ ଭ୍ରମ ଥିଲା ?

ପ୍ରଣବ : “ଡାକ୍ତର ବାବୁ , ମୁଁ ଆପଣଙ୍କୁ ଭିୱାଡ଼ି ରେ ନେଇ ଛାଡି ଆସିବି | ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ | ଆପଣ ଗାଡି କଥା ଚିନ୍ତା କରନ୍ତୁ ନାହିଁ | ମୋର ଜଣେ ବନ୍ଧୁ କାର ମେକାନିକ | ତାକୁ କହି ତିଆରି କରାଇ ଦେବୀ | ଆପଣ ନିଶ୍ଚିନ୍ତରେ ଯାଆନ୍ତୁ “

ଅନଘ : ଧନ୍ୟବାଦ ପ୍ରଣବ !

X X X

25 ଡ଼ିସେମ୍ବର 2020 | କୁରୁକ୍ଷେତ୍ର ତଥା ବିଶ୍ୱର କୋଣ ଅନୁ କୋଣରେ ପାଳିତ ହେଉଛି ‘ବିଶ୍ୱ ଗୀତା ଜୟନ୍ତୀ ‘ | ଏଇ ଅବସରରେ ଡାକ୍ତର ବାବୁଙ୍କ ସହ ମୋର ପୁଣି ଦେଖାହୁଏ | ଘଟଣା କ୍ରମରେ ସେ ନିଜର ଜଗନ୍ନାଥ ଅନୁଭୂତି ମୋ ସହିତ କହି ଚାଲି ଥାନ୍ତି | କୌତୂହଳବଶତଃ ମୁଁ ତାଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲି |

“ ଡାକ୍ତର ବାବୁ ! ମୋର ପ୍ରଥମ ପ୍ରଶ୍ନ ଥିଲା — ସେଇ ଚକା ଆଖି ଚିହ୍ନ ଥିବା ବୋର୍ଡ ର ରହସ୍ୟ କହିବେ କି ? ପୁଣି ଥରେ ସେଇ ଜାଗା ଠାରେ ବୁଲି ଆସିଲେ କି ?”

ଦ୍ଵିତୀୟ ପ୍ରଶ୍ନ : ଆପଣଙ୍କ ନା ଅନଘ କିଏ ରଖି ଥିଲେ ? ତାର ଅର୍ଥ କ’ଣ?

ଅନଘ : ଦ୍ଵିତୀୟ ପ୍ରଶ୍ନ ର ଉତ୍ତର ଭଗବଦ ଗୀତାରେ ଅଛି | ବୋଧହୁଏ ଆପଣ ଟିକିନିଖି ପଢି ନାହାନ୍ତି |

ମୁଁ ନିଜକୁ ଲଜ୍ଜିତ ମନେ କଲି | ଡାକ୍ତର ବାବୁଙ୍କ ପରି ବୋଧ ହୁଏ ନିଜ ଜୀବନରେ ଗୀତାର ପ୍ରତିଟି ଶ୍ଳୋକ କୁ ପ୍ରୟୋଗ କରିପାରିବି — ସେ ଦିନ ଗୀତା ଜୟନ୍ତୀ ରେ ଶପଥ ନେଲି |
ମୁଁ ତ ମୋ ଉତ୍ତର ପାଇ ଗଲି, କିନ୍ତୁ ଆପଣଙ୍କୁ ଭଗବଦ ଗୀତାରେ ଖୋଜି ବାକୁ ପଡିବ ଏଇ ଅନଘ ଶବ୍ଦର ଅର୍ଥ |

ଡାକ୍ତର ବାବୁ : କେହି କେହି ସାଙ୍ଗ ମୋତେ ଥଟ୍ଟାରେ ଅନୁଗୁଳର ଅନଘ ବୋଲି କହନ୍ତି ( ଅନଘ ଫ୍ରମ ଅନୁଗୁଳ )

ମୋର ପ୍ରଥମ ପ୍ରଶ୍ନଟିର ଉତ୍ତରରେ ଅନଘ ବାବୁଙ୍କ କଥା ଶୁଣି ମୁଁ ଆଚମ୍ବିତ ହୋଇ ଗଲି |

“ସେ ଥିଲା ଓ ୟୋ !!! ଦୁଇ କିଲୋ ମିଟର ର ସେଇ ଅଙ୍କା ବଙ୍କା ରାସ୍ତାରେ ମୁଁ ଯୋଉ ବୋର୍ଡ କୁ ଜଗନ୍ନାଥଙ୍କ ଚକା ଆଖି ଭାବି ଆଗକୁ ଆଗକୁ ବଢି ଯାଇଥିଲି ତା ଥିଲା ଆମ ଓଡ଼ିଶାର ବହୁ ପ୍ରତିଷ୍ଠିତ ଓୟୋ ରୁମ ର ପ୍ରଚାର ….କମିଙ୍ଗ ସୁନ ଟୁ ଯୋର ସିଟି ! ଆପଣଙ୍କ ସହରକୁ ଅତି ଶୀଘ୍ର ଆସୁଅଛି | ଓ ୟୋ ଶବ୍ଦ ର ଉତ୍ପତ୍ତି କିପରି ହୋଇଛି ଜଣା ନାହିଁ କିନ୍ତୁ ଏହି ଶବ୍ଦର ପ୍ରଥମ ଓ ତୃତୀୟ ଇଂରାଜୀ ଅକ୍ଷର ‘ଓ (ଠ )’ ଠିକ ଜଗନ୍ନାଥଙ୍କ ଦୁଇ ଚକା ଆଖି ଓ ଇଂରାଜୀ ଅକ୍ଷର ୱାଇ ମହା ପ୍ରଭୁଙ୍କ ତିଳକ ପରି ମନେ ହେଉ ଥିଲା | ଓ ୟୋ ବଞ୍ଚାଇ ଦେଲା — ମୋ ଜୀବନ ରକ୍ଷା କରିଥିଲା ସେଇ ଦିନ | ମନେ ହେଉ ଥିଲା ସବୁ କିଛି ମହା ପ୍ରଭୁଙ୍କ ଇଙ୍ଗିତ ରେ ଚାଲିଥିଲା , ନ ହେଲେ ସେଇ ନିର୍ଜନ ରାସ୍ତା ରେ ସେଇ ରାଜସ୍ଥାନୀ ପରିବାର ମୋତେ ସାହାଯ୍ୟ କରି ନଥାନ୍ତେ “

--

--